ମୁଁ ଆଜ୍ଞା ଶା*ତ କୁମାର । ଅଜଣା ଅଦେଖା ଅଶୁଣା ନାଁ ଟିଏ । ବେଳେବେଳେ ଶବ୍ଦକୁ ନେଇ କିଛି ଗଢିଦିଏ । ଗଢୁଗଢୁ କେତେବେଳେ ଦିଅଁ ତ କେତେବେଳେ ମାଂକଡ ବି ଗଢିପକାଏ । ଏହି ଗଢିବା ଆଇଡିଆ ସବୁ ଆସେ ଛଉ ପଡିଆରେ ସକାଳର ଚା ଖଟି ରୁ । ଖଟିରେ କିଛି ଯୁବକ ଆଉ କିଛି ବୁଢାକଂ ମେଳି । ସେ ଖଟିକୁ ନିତି ଦିନ ସକାଳୁ ଆସନ୍ତି କୁଲୁ ବାବୁ । ଚାକିରିକୁ ଅବସର ନେଲେଣି ଛଅ ବର୍ଷ ଆଗରୁ । ଦୌରାଜଜ୍ ଅଫିସରେ ବଡ ବାବୁ ଥିଲେ ସେ । ଭାରି ରୋକଠୋକିଆ ଲୋକଟେ । ଆଜି ସକାଳୁ ସକାଳୁ ଖଟିରେ ପହନ୍ଚି ଆରମ୍ଭ କଲେ " ହୋଇହୋ ଲେଖକ ବାବୁ ! ସୁ** ମହାନ୍ତି କଂର ନା* *ଡା ବହିଟା ପଢିଛ ? କି ଲେଖା ! ବାସ୍ତବିକ ଚମତ୍କାର ! ଗପ ଗୁଡାକର ଏଣ୍ଡିଂଗ ପଢିଛ ! ତାହ‍ାକୁ ହିଁ କୁହାଯାଏ ଏଣ୍ଡିଂ ଆଉ ଗୋଟିଏ ପରଫେକ୍ଟ ଷ୍ଟୋରି । ତୁମ ଲେଖାରେ ସେ ଧାରୁଆ ପଣ ନାହିଁ । ଆହୁରି ଲେଖ ! ତେବେ ଯାଇ ଲେଖା ଶାଣିତ ହେବ। ହାବୁରୁ ଜାବୁରୁ ଲେଖା କିଛି ଲେଖିଦେଲେ କେହି ଲେଖକ ହୋଇଯାଏନି । ହୋଇହୋ ପରଶୁ ବାବୁ ତାଂକର କେତୋଟି ବହି ବିକ୍ରି ହେଲାଣି ! ବଢିବଢି ଦୁଇ ଚାରିଟା ହୋଇଥିବ ; ନା କଣ   " !  ତାଂକ କଥା ଶୁଣି ବହି ଦୋକାନ କରିଥିବା ମୋ ବନ୍ଧୁ ମଧ୍ୟ ଜୋର ହସିଦେଲେ ।ହେଲେ କୁଲୁ ବାବୁକଂର ବାକ୍ୟ ବାଣ ଗୁଡାକ ମୋ ମନରେ ବହୁତ ଆଘାତ ଦେଲା । ଆଘାତ ମୋ ଲେଖାର ଦୁର୍ବଳତା ପାଇଁ ନଥିଲା ଥଲା ତାଂକ ପରି ଜଣେ ବ୍ୟକ୍ତିତ୍ବ ପାଇଁ ପରିବର୍ତ୍ତନର ସ୍ବରଟିଏ  ନଲେଖିପାରିବାର । ତାଂକର ଏଭଳି ବ୍ୟବହାର ତାଂକୁ ଆଜି ପରିବାର ଭିତରେ ଏକୁଟିଆ କରିଦେଇଛି । ହେଲେ ଆଜି ସର୍ବ ସମ୍ମୁଖରେ ମୋତେ ଯେଭଳି ସିଏ ବ୍ୟବହାର କଲେ ; ମୁଁ କିଛିଟା କ୍ରୋଧିତ ଆଉ ବିଚଳିତ ନିଶ୍ଚୟ ଥିଲି । ସେଥିପାଇଁ ଖଟିରୁ ସମସ୍ତେ ଗଲାପରେ ମୁଁ ବାହାରିଲି ଘରକୁ । କିଛି ବାଟ ଗଲ‍ାପରେ ହଠାତ୍ ପରଶୁ ସହ ଦେଖାହେଲା । ସେ କହିଲା " ଆରେ ମୁଁ ତୋତେ ହିଁ ଜଗିଥିଲି । କୁଲୁ ବାବୁକଂ କଥାରେ ଖରାପ ଭାବିଲୁକି " ! ମୁଁ ଟିକିଏ ସଂକୋଚ କରି କହିଲି " ଖରାପ କାହିଁକି ଭାବିବି ! ସତ କଥାତ ! ମୁଁ ତ ସେଭଳି ଗୋଟେ ବିରାଟ ଲେଖକ ହୋଇଯାଇନି ! କେତେବେଳେ ସମୟ ମିଳିଲେ ମନରେ ଯାହା ଆସେ ତାକୁ ଶବ୍ଦର ରୂପ ଦିଏ । ସତ କହିବାକୁ ଗଲେ ମୁଁ ଜଣେ ଟାଇମ୍ ପାସ ଲେଖକ । ଲେଖେ ଖାଲି ଟାଇମ୍ ପାସ୍ ପାଇଁ " । ଏଥର ଟିକିଏ ଗମ୍ଭୀର ହୋଇ ପରଶୁ କହିଲା " ତୁ ତାହାହେଲେ ରାଗିଛୁ ନିଶ୍ଚୟ " । ମୁଁ କହିଲି " ଆରେ ଲେଖକର କଣ ଦରକାର ? ଖାଲି ପ୍ରଶଂସା ଟିକିଏ । ଆଉ ସେଇଟା ବି ଯଦି..."। ମୋ କଥାକୁ ମଝିରେ ଅଟକାଇ ପରଶୁ କହିଲା " ରହ ରହ ରହ ! ତୁ ଜାଣିନାହୁଁ । କାଲି କୁଲୁ ବାବୁ ମୋ ଦୋକାନକୁ ଆସିଥିଲେ । ମୋ ପାଖରୁ ପଢିବାକୁ ନେଇଥିବା ନା* *ଡା ବହିଟା  ମୋତେ ଫେରାଇ ଦେଇକହିଲେ ' ଆରେ! ନେ ତୋ ବହି ।  ନେଟ୍ ରୁ  ଏଇ ନା* *ଡା ବହିଟା ମୋ ପାଇଁ ୮ ଟା ମଗେଇ ଦେବୁ ତ '। ମୁଁ କହିଲି ହଁ ନିଶ୍ଚୟ । ତେବେ କିଛି ସମୟ ଧରି ସିଏ ମୋ ଦୋକାନ ଭିତରେ ଏ ବହି ସେ ବହି ଖାଣ୍ଟୁ ଥିବାର ଦେଖି ମୁଁ ପଚାରିଲି କୁଲୁ ବାବୁ କେଉଁ ବହିଟା ଖୋଜୁଛନ୍ତି ? ନିଜ ଅଧ ଫଗଳା ପାଟିଟା ଦେଖାଇ ହସିଦେଇ କହିଲେ ' ଆରେ ! ଆମ ଲେଖକ ବାବୁ ର ୮ଟା ବହି  ନେଇ ଥାଆନ୍ତି । ତୋ ପାଖରେ ଅଛି ' ! ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି କିଛି ଦିନ ଆଗରୁ ପରା ନେଇକରି ଗଲେ । ପୁଣି ୮ଟା କଣ ହେବ ! ସେ କହିଲେ ' ଲେଖକ ବାବୁ ଟାର ଲେଖା ରେ କି ଯାଦୁ ଅଛି କେଜାଣି ? ସେ ବହିଟା ମୁଁ ପଢିସାରି ମୋ ପୁଅ ପାଖକୁ ପଠେଇଥିଲି ବାଗାଂଲୁରୁ । ଦୀର୍ଘ ଦୁଇ ବର୍ଷ ପରେ ସେ କାଲି ମୋ ପାଖକୁ ଫୋନ୍ କରିଥିଲା । ବହୁତ ଦିନ ପରେ ମୋ ଆଖି ଲୁହ ର ସ୍ପର୍ଶ ଟିକିଏ ପାଇଲା । ମୁଁ ଏମିତି ଚିଡିଚିଡିଆ ନଥିଲିରେ ! ଶୁନଶାନ୍ ଘର ର ନିରବତା ଭିତରେ ଥିବା ଏକୁଟିଆପଣ ଟା ମୋତେ ଏମିତି ଚିଡିଚିଡିଆ କରିଦେଇଛି  । ଏ ଲେଖକ ବାବୁଟାର ବହିଟା ପଢିଲାପରେ ମୁଁ ସମ୍ପର୍କ କୁ ବୁଝିପାରିଛି । ସେଇଥିପାଇଁ ଆଉ କିଛି ବହି ମୋର ବନ୍ଧୁ ମାନକଂ ପାଖକୁ ପଠେଇବି । ବର୍ଦ୍ଧକ୍ୟରେ ଏକାଏକା ଅବହେଳିତ ସେମାନେ । ତେଣୁ ଦୂରରେ ରହୁଥିବା ତାଂକ ପୁଅ ଝିଅ ମାନକଂ ପାଖକୁ ଏବହିଟା ପଠାଇବେ । ଯଦିବା କେତେବେଳେ ମୋ ଭଳି କାହାପାଖକୁ ସେମାନକଂ ପୁଅ ଝିଅକଂର ଫୋନ୍ ଆସିଯିବ । ସେମାନକଂ ଫଗଳା ପାଟିରେ ହସ ଟିକିଏ ଝରିବ ! ' " । ପରଶୁ ର କଥା ଶୁଣି ମୋ ଆଖିଟା ବି ଲୁହ ବୋଝରେ ଟିକିଏ ଭାରି ହୋଇଗଲା । ମନେପଡିଗଲା ପିଲାବେଳର ମୋର ସାହିତ୍ୟ ସାର୍ ; ତ୍ରିପାଠୀ ସାର କଂର କଥା । କ୍ଲାସରେ ମୋ ସାହିତ୍ୟ ଖାତା କୁ ମୋତେ ଧରାଇ ଦେଇ କହନ୍ତି ' ଏ କଣ ଲେଖିଛୁ ! ସରଳାର୍ଥ ଭଲ କି ଲେଖ । ଆର ଥରକୁ ଯଦି ଭଲ କି ନଲେଖିଛୁ ବାହାରେ ଆଣ୍ଠେଇ ଦେବି ' । କେବେ ତାଂକ ମୁହଁରୁ ମୁଁ ପ୍ରଶଂସା ଟିକିଏ ଶୁଣିନାହିଁ । ହେଲେ ଦିନେ ବାପା ମା'କୁଂ କହୁଥିବାର ଶୁଣିଲି ' ବୁଝିଲ ! ଆଜି ତ୍ରିପାଠୀ ସାର୍ କଂ ସହ ହାଟରେ ଦେଖା ହୋଇଥିଲା । କହୁଥିଲେ ବା*ନା ଆମର କୁଆଡେ ବହୁତ ସୁନ୍ଦର ସାହିତ୍ୟ  ସରଳାର୍ଥ ଲେଖୁଛି । ତା ବୟସରେ ସେ ସାହିତ୍ୟ କୁ ଖୁବ୍ ସୁନ୍ଦର ବ୍ୟାଖ୍ୟା କରିପାରୁଛି । ତୁମେ ବା*ନା କୁ କିଛି କହିବନି । ସାର୍ କହିବାକୁ ମନା କରିଛନ୍ତି  ' । ସେ ଦିନ ହୁଏତ ମୁଁ ଏକଥାକୁ ଏତେଟା ଗୁରୁତ୍ବ ଦେଇନଥିଲି । ହେଲେ ଆଜି ପରଶୁ ମୁହଁରୁ କୁଲୁ ବାବୁକଂର କଥା ଶୁଣି ଲାଗିଲା ବୋଧହୁଏ ଏ ଦୁନିଆଁରେ କିଛି ଲୋକକଂର ପ୍ରଶଂସା କରିବା ଶୈଳୀଟା ଏହିଭଳି । ବୋଧହୁଏ ସେମାନେ ହିଁ ପ୍ରକୃତ ରେ ପାଇଥାଆନ୍ତି ଗର୍ବ ର  ଅସଲ ପରିଚୟ ! ! !

॥  ଜ୍ୟୋତିରଞନ ସାହୁ  ॥
jrs.2013rediffmail@gmail.com